ନୂଆଦିଲ୍ଲୀ: କିଛି ଦିନ ତଳେ ହଲିଉଡ୍ କଳାକାର ଆଞ୍ଜେଲିନା ଜୋଲି ଏବଂ ଆକ୍ଟର ବ୍ରାଡ୍ ପିଟ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ଏବେ ପୁଣି ଏକ ଯୋଡ଼ି ବିବାହ ବିଚ୍ଛେଦ କରିଛନ୍ତି । ଅଭିନେତ୍ରୀ ଜେନିଫର ଲୋପେଜ ଏବଂ ଅଭିନେତା ବେନ ଆଫ୍ଲେକ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଏହାସହ ଦୁହିଁଙ୍କ ମଧ୍ୟରେ ଜାରି ଆଇନଗତ ଲଢେଇ ବି ଶେଷ ହେବ । ଲୋପେଜ ଲସ୍ ଆଞ୍ଜେସଲ୍ ସୁପିରିୟର କୋର୍ଟରେ ଦସ୍ତାବିଜ ଦାଖଲ କରିଛନ୍ତି । ଏଥିରୁ ଅଧିକାଂଶ ଆର୍ଥିକ ବିବରଣୀ ସର୍ବାଜନୀନ କରାଯାଇ ନାହିଁ । କିନ୍ତୁ ଲୋପେଜ ଏବଂ ଆଫ୍ଲେକଙ୍କ ମଧ୍ୟରୁ କେହି ବି ପରସ୍ପରକୁ କୌଣସି ଭରଣ-ପୋଷଣ ଦେବେ ନାହିଁ । ଛାଡ଼ପତ୍ର ହେବା ପରେ ଲୋପେଜ ନିଜ ନାଁରୁ ଆଫ୍ଲେକ ଶବ୍ଦ ହଟାଇ ଦେବେ ।
ହଲିଉଡର ଏହି ସୁପରଷ୍ଟାର ଯୋଡ଼ି ୨୦୨୨ରେ ବିବାହ କରିଥିଲେ । ୨୦୨୪ ଅଗଷ୍ଟରେ ଲୋପେଜ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ତେବେ ପୂର୍ବତନ ଦମ୍ପତ୍ତି କୋର୍ଟରେ ଦାଖଲ କରିଥିବା ଦସ୍ତାବିଜରେ କହିଥିଲେ ଯେ ୨୦୨୩ ଏପ୍ରିଲରେ ଅଲଗା ହୋଇଯିବେ । ଦୁହେଁ ପରସ୍ପରକୁ ୨୦୦୦ ମସିହାରୁ ଜାଣିଥିଲେ ବି ୨୦୨୨ରେ ବିବାହ କରିଥିଲେ ।
ଦୁଇ କଳାକାର ଆପୋଷ ବୁଝାମଣାରେ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରକ୍ରିୟାକୁ ବିଳମ୍ୱ ନକରିବା ପାଇଁ ନିଜ ଛାଡ଼ପତ୍ରର ଆର୍ଥିକ ଦିଗକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିଥିଲେ । ଯେଉଁଥି ପାଇଁ ଉଭୟଙ୍କ ଲମ୍ୱା ଆଇନଗତ ପ୍ରକ୍ରିୟାର ସାମନା କରିବାକୁ ପଡ଼ିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆଫ୍ଲେକ ୨୦୧୮ ମସିହାରେ ଜେନିଫର ଗାର୍ନରଙ୍କୁ ଛାଡ଼ପତ୍ର ଦେଇଥିଲେ । ଦୁହିଁଙ୍କ ତିନି ସନ୍ତାନ ଥିଲେ । ଅନ୍ୟପଟେ ଲୋପେଜ ଏହା ଚତୁର୍ଥ ବିବାହ ଥିଲା ଏବଂ ଏହା ତାଙ୍କ ଚତୁର୍ଥ ଛାଡ଼ପତ୍ର ।